ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୮/୧୧: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଦାବି ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁରୀ ଗସ୍ତରେ ଥିବା ବେଳେ ଭୋରରୁ ଶ୍ରୀମନ୍ଦିରରେ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ପବିତ୍ର କାର୍ତିକ ମାସରେ ସେ ମହାପ୍ରଭୁଙ୍କ ଦର୍ଶନ କରି ଧନ୍ୟ ମନେ କରିଥିବା କହିଛନ୍ତି । ଶ୍ରୀମନ୍ଦିର ନିକଟରେ ଥିବା ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ଯାଇ ମଧ୍ୟ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ଐତିହ୍ୟ ଓ ଧର୍ମୀୟ ପୀଠ ଗୁଡ଼ିକର ପୁନରୁଦ୍ଧାର ଓ ମରାମତି ଠିକ୍ ଭାବେ କରାଯିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଏ ଦିଗରେ କାମ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏଏସ୍ଆଇର ଶ୍ରୀମନ୍ଦିର ମରାମତି କାମକୁ ସନ୍ତୋଷଜନକ କହିବା ସହ ନାଟମଣ୍ଡପ ମରାମତି କାର୍ଯ୍ୟକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।