ଭୁବନେଶ୍ୱର,୨୯/୧୨: ଐତିହାସିକ ବରଗଡ ଧନୁଯାତ୍ରା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଧନୁ ଯାତ୍ରାର ବହୁଳ ପ୍ରଚାର ପ୍ରସାର ତଥା ଜାତୀୟ ଓ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯବଂଶୀ ସୁରଜ । ବରଗଡ ଧନୁଯାତ୍ରାରେ ଯେଉଁ କଳାକାରମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରନ୍ତି, ସେମାନଙ୍କର ପୋଷାକ ଏବଂ ଅନ୍ୟାନ୍ୟ ଆନୁସଙ୍ଗିଗ ଖର୍ଚ୍ଚ ବାବଦକୁ ପ୍ରତ୍ୟେକଙ୍କୁ ୧୦,୦୦୦/-ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।ସେହିପରି ୨୦୨୫ ଧନୁ ଯାତ୍ରା ପାଇଁ ଅନୁଦାନ ରାଶିକୁ ବୃଦ୍ଧି କରାଯାଇ ୧ କୋଟି କରାଯାଇଛି। ଜାତୀୟ ନାଟ୍ୟ ବିଦ୍ୟାଳୟକୁ ଧନୁଯାତ୍ରା ଉପରେ ଏକ ପ୍ରାମାଣିକ ଚିତ୍ର ନିର୍ମାଣ ଏବଂ ବିଶଦ ତଥ୍ୟ ସଂଗ୍ରହ ନିମନ୍ତେ ଅନୁରୋଧ କରାଯାଇଛି । ବରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଧନୁ ଯାତ୍ରାର ସିଧା ପ୍ରସାରଣ କରାଯିବ ବୋଲ କହିଛନ୍ତି ମନ୍ତ୍ରୀ। ଏହାସହ ଧନୁଯାତ୍ରାକୁ ଜାତୀୟ ତଥା UNESCO ର ମାନ୍ୟତା ପ୍ରଦାନ ନିମନ୍ତେ ପ୍ରଚେଷ୍ଟା ଆରମ୍ଭ ହୋଇଛି ।