ଆସନ୍ତାକାଲି ଧାମନଗରରେ ଭୋଟ୍: ସମସ୍ତ ପ୍ରସ୍ତୁତି ‌ଶେଷ

ଭୁବନେଶ୍ୱର,୨/୧୧: ଆସନ୍ତାକାଲି ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ସବୁ ପ୍ରକାର ପୋଲିଂ କର୍ମଚାରୀ ନିୟୋଜିତ ହୋଇ ସାରିଛନ୍ତି । ସମୁଦାୟ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମତଦାନ ସଂପର୍କିତ ସମସ୍ତ ସୂଚନା ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି।

ସେ କହିଛନ୍ତି, ଗତକାଲି ପ୍ରଚାର ସରିଛି।  ଆସନ୍ତାକାଲି ସକାଳ ୭ ରୁ ୬.୩୦ ପର୍ଯ୍ୟନ୍ତ ସମସ୍ତ ଏକ୍ସିଟ ପୋଲକୁ ନିଷେଧ କରାଯାଇଛି। ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେ ନାହିଁ । ଯଦି କେହି ନିୟମ ଉଲଂଘନ କରେ ତେବେ ତାଙ୍କୁ ଗିରଫ କରାଯିବ । ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡ଼କ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ ମତଦାତା। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ମକପୋଲ ହେବ।  ଧାମନଗରରେ ମୋଟ ୨୫୨ ବୁଥ କରାଯାଇଛି । ସେ ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥି ମଧ୍ୟରୁ ୧୨୬ଟିର ୱେବକାଷ୍ଟିଂ ହେବ ।