ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଂଗଠନର ଦିଲ୍ଲୀ ଚଲୋ ଆନ୍ଦୋଳନ

ନୂଆଦିଲ୍ଲୀ,୧୩/୦୨: ବିଭିନ୍ନ ପ୍ରସଙ୍ଗ ଓ ଦାବିକୁ ନେଇ ଆଜିଠୁ ଚାଷୀ ସଂଗଠନର ଦିଲ୍ଲୀ ଚଲୋ ଆନ୍ଦୋଳନ । ଗତକାଲି ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଛି । ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ଅଡିବସିବାରୁ ବୈଠକ ଫେଲ ମାରିଥିବା ସୂଚନା ମିଳିଛି । ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଘୋଷଣା କରିଛନ୍ତି ହରିୟାଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଂଗଠନ । ଦିଲ୍ଲୀରେ ଏକଜୁଟ ହୋଇ ବଡ ଧରଣ ପ୍ରଦର୍ଶନ କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି । ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ଏବେ ସୀମାରେ ପ୍ରାୟ ୨୦ ହଜାର ଚାଷୀ ଓ ୨୫ଶହ ଟ୍ରାକ୍ଟର ଅପେକ୍ଷା କରିଛନ୍ତି । ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି ଦାବି ରଖିଛନ୍ତି । ଦିଲ୍ଲୀ ପୋଲିସ ସୀମା ସିଲ କରିବା ସହ କଟକଣା ଜାରି କରିଛି ।