ନୂଆଦିଲ୍ଲୀ,୭/୦୧: ବାଜିଲା ବିଗୁଲ୍ । ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ । ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ଏଥର ୧.୫୫ କୋଟି ଭୋଟର ଭୋଟ୍ ଦେବେ । ଯାହା ଭିତରୁ ପ୍ରଥମ ଥର ଭୋଟ ଦେବେ ୨.୦୮ ଲକ୍ଷ । ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନପାଇଁ ମୋଟ ୧୩ ହଜାର ୦୩୩ ପୋଲିଂ ଷ୍ଟେସନ୍ ରହିବ । ସମସ୍ତ ପୋଲିଂ ଷ୍ଟେସନରେ ଓ୍ୱେବକାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି । ଜାଣିରଖିବା ଉଚିତ୍ ଯେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମୁଖ୍ୟ ଭାବେ ଆପ୍, ବିଜେପି ଏବଂ କଂଗ୍ରେସ ରେସରେ ଅଛନ୍ତି । ଏହି ତିନି ଦଳ ହିଁ ନିର୍ବାଚନରେ ପରସ୍ପରକୁ ଟକ୍କର ଦେବେ । ତେବେ ତାରିଖ ଘୋଷଣା ପୂର୍ବରୁ ହିଁ ଆପ୍ ଆଉ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି, ଯାହାକୁ ନେଇ ସରଗରମ ହେଇଛି ଦିଲ୍ଲୀ ରାଜନୀତି । ସୂଚନାଯୋଗ୍ୟ ଯେ ଗତ ଦୁଇ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ଟି ଆସନରୁ ୬୦ରୁ ଅଧିକ ସିଟ୍ ଜିତିଥିଲା ।