କରୋନା କଟକଣାରେ ଚାଲିଛି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ନୀତି

ପୁରୀ, ୨୪/୬: ଆଜି ହେଉଛି ପବିତ୍ର ଦେବସ୍ନାନ ସ୍ନାନପୂର୍ଣ୍ଣିମା । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ନୀତି ହେଉଛି। କୋଭିଡ କଟକଣା ଭିତରେ ବିନଭକ୍ତରେ ଏହି ନୀତି ସମ୍ପର୍ଣ୍ଣ କରାଯିବ। ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ହେବ ମହାପ୍ରଭୁଙ୍କର ମହାସ୍ନାନ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳ ଆଳତୀ ପରେ ବଢି ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ସହ ସମ୍ପନ୍ନ ହେଉଛି ସ୍ନାନ ବିଧି । ପରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଛେରାପହଁରା ନୀତି ଆରମ୍ଭ ହୋଇଛି । ଏହାପରେ ମଧ୍ୟାହ୍ନ ୧୨ଟା ଭିତରେ ଅନୁଷ୍ଠିତ ହେବ ଠାକୁରଙ୍କ ହାତୀବେଶ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ ବୋଲି ସୂଚନା ରହିଛି ।

ଗତବର୍ଷ ଭଳି ଚଳିତବର୍ଷ ବି ଦେବସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରିବେ ଗଜପତି ମହାରାଜଙ୍କ ମୁଦିରସ୍ତ ନାରାୟଣ । ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଥିଲେ । କୋଭିଡ୍‌ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ମହାରାଜ ଚଳିତବର୍ଷ ସ୍ନାନଯାତ୍ରାରେ ଛେରାପହଁରା କରିପାରିବେନି ବୋଲି ଚିଠି ଲେଖି ଜଣାଇଥିଲେ । ତାଙ୍କ ବଦଳ‌ରେ ନାରାୟଣ ମୁଦିରସ୍ତ ଛେରା ପହଁରା କରିବେ।