ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୧/୦୮: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣାଡାଲି ରାଜ୍ୟମାନଙ୍କୁ ଯୋଗାଇ ଦେବେ । ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ । ଅନ୍ୟପଟେ ବିରି, ହରଡ଼ ଓ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଅନୁମୋଦିତ ଯୋଜନାରେ, ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଚଣା ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପ୍ରସ୍ତାବ ଦିଆଯାଇଛି । ପ୍ରଥମେ ଅନୁରୋଧ ଆସିଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ପ୍ରଥମେ ଏହି ଯୋଜନାର ସୁବିଧା ମିଳିପାରିବ ।