ଉପକୂଳ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସମ୍ଭାବନା

ଭୁବନେଶ୍ୱର,୨୩/୧୦:  ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। କ୍ରମଶଃ ଏହା ଘନୀଭୂତ ହୋଇ ବଙ୍ଗ ମୁହାଁ ହୋଇପାରେ। ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଏହା ଦିଗ ବଦଳାଇପାରେ। ପରେ ଏହା ବାତ୍ୟା ‘ସିତ୍ରାଙ୍ଗ’ରେ ପରିଣତ ହେବ ବୋଲି ସୂଚନା ରହିଛି।

୨୫ ତାରିଖ ସକାଳେ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଛୁଇଁପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ଉପକୂଳ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସମ୍ଭାବନା ରହିଛି। ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶା ଉପକୂଳଠାରୁ ୨୦୦ରୁ ୨୫୦ କିଲୋମିଟର ଦୂରରେ ଗତି କରିବ।  ଏହାର ପ୍ରଭାବରେ ୨୪ ଓ ୨୫ ତାରିଖରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।