ସାମୁଦ୍ରିକ ଝଡ଼ ‘ଫେଙ୍ଗଲ’ ପ୍ରଭାବ, ଏହି ସବୁ ତିନି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୮/୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ‘ଫେଙ୍ଗଲ’ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ତାମିଲନାଡୁ ଓ ପୁଡୁଚେରୀର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ନାଗାପଟ୍ଟିନମ୍, ମାଇଲାଦୁଥୁରାଇ ଓ ତିରୁଭାରୁର ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ବର୍ଷାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ କହିଛନ୍ତି। ପ୍ରବଳ ବର୍ଷା ଯୋଗୁ ତାମିଲନାଡୁର ତିରୁଚିରାପଲ୍ଲୀ, ନାଗାପଟ୍ଟିନମ୍, ମାଇଲାଦୁଥୁରାଇ, କୁଡ୍ଡାଲୋର, ଥାଞ୍ଜାଭୁର, ଭିଲ୍ଲୁପୁରମ୍ ଓ ତିରୁଭାରୁର ସମେତ ଅନେକ ଅଞ୍ଚଳରେ ସ୍କୁଲ ଓ କଲେଜ ବନ୍ଦ ରହିଛି। ପୁଡୁଚେରୀରେ ମଧ୍ୟ ଆଜି ସ୍କୁଲ ଓ କଲେଜ ବନ୍ଦ ରହିଛି। ଚେନ୍ନାଇ ଓ ଚେଙ୍ଗଲପଟ୍ଟୁରେ କେବଳ ସ୍କୁଲ ବନ୍ଦ ରହିଛି। ମତ୍ସ୍ୟଜୀବୀମାନଙ୍କୁ ନଭେମ୍ବର ୨୯ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ଏବଂ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି।