ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ବିପର୍ଯ୍ୟୟ

ନୂଆଦିଲ୍ଲୀ,୧୪/୦୬: ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ବିପର୍ଯ୍ୟୟ । ଅତି ଭୀଷଣ ବାତ୍ୟାର ରୂପ ନେଇ ଏହା ମାଣ୍ଡଭି ଓ କରାଚୀ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଜଖଉ ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ଏହି ସମୟରେ ପବନର ବେଗ ୧୨୫ରୁ ୧୩୫ କିଲୋମିଟରରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ସେହିଭଳି ସର୍ବାଧିକ ପବନର ବେଗ ୧୫୦ କିଲୋମିଟର ଛୁଇଁପାରେ ବୋଲି ଆକଳନ କରିଛି ଆଇଏମଡି । ଏହି ସମୟରେ ସମୁଦ୍ର କୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।  କଚ୍ଛ, ପୋରବନ୍ଦର, ରାଜକୋଟ, ମୋରବୀ ଓ ଜୁନାଗଡ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।