ଆସନ୍ତା ୬ରେ ଘୂର୍ଣ୍ଣିବଳୟ ଏବଂ ୮ ତାରିଖରୁ ଲଘୁଚାପ !

ଭୁବନେଶ୍ୱର,୩/୫: ଆସନ୍ତା ୬ ତାରିଖରେ ଘୂର୍ଣ୍ଣିବଳୟ ଏବଂ ୮ ତାରିଖରୁ ଲଘୁଚାପ ସୃଷ୍ଟି ହେବ । ବଙ୍ଗୋପସାଗରରେ ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିନ୍ତୁ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଲଘୁଚାପ ଅବପାତର ରୂପ ନେବା ପରେ, ଚିତ୍ର ସ୍ପଷ୍ଟ ହେବ, ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । କିନ୍ତୁ ପୂର୍ବ ବର୍ଷ ଗୁଡିକର ରେକର୍ଡ ଅନୁସାରେ ଖରାଦିନିଆ ବାତ୍ୟାକୁ ନେଇ ଆଶଙ୍କା ବଢିବାରେ ଲାଗିଛି ।ମଡେଲ୍‌ଗୁଡ଼ିକର ଆକଳନକୁ ସମୀକ୍ଷା କରି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ୬ରୁ ୭ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଧୀରେ ଧୀରେ ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇ ‌୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ । ଯଦି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ, ତାହା କେଉଁ ଆଡ଼କୁ ଗତି କରିବ, ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ।