ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା

ଭୁବନେଶ୍ୱର,୨୩/୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ଆଜି ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି । ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି ବାତ୍ୟା।। ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

ଆସନ୍ତାକାଲି ସକାଳେ ହେବ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ।୨୪ ରାତି ଓ ୨୫ ସକାଳ ଭିତରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ବୀପ ଭିତରେ ଉପକୂଳ ପାର କରିବ ଭୀଷଣ ବାତ୍ୟା। ତେବେ ଉତ୍ତର ଓଡ଼ିଶାରେ ବାତ୍ୟା ବେଶୀ କୋପ ଦେଖାଇବ। ୭ଟି ଜିଲ୍ଲାରେ ଆସନ୍ତାକାଲି ଏବଂ ପରଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବେଗରେ ପବନ ବହିବ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୨୦ କିମି ରହିପାରେ। ସେହିପରି କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି।

Leave a Reply

Your email address will not be published. Required fields are marked *