ଉପକୂଳ ମୁହାଁ ହୋଇଛି ବାତ୍ୟା ଦାନା, ଭିତରକନିକା ଓ ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ!

ଭୁବନେଶ୍ବର,୨୪/୧୦: ଭୀଷଣ ରୂପରେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ‘ଦାନା’।  ଅପରାହ୍ନଠାରୁ ଉପକୂଳ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ହେବା ସହ ତୁହାକୁ ତୁହା ବର୍ଷା ଲାଗିରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ସିଧାସଳଖ ପ୍ରଭାବ ଅନୁଭୂତ ହେଉଥିବା ବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକର ପାଗରେ ମଧ୍ୟ ପରିବର୍ତ୍ତନ ଆସିଛି। ବାତ୍ୟା ‘ଦାନା’ ପାରାଦୀପଠାରୁ ୩୩୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୬୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା‌ପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଭୀଷଣ ବାତ୍ୟା ରୂପରେ ୨୪ ତାରିଖ ମଧ୍ୟରାତ୍ରି ଓ ୨୫ ତାରିଖ ଭୋର ସୁଦ୍ଧା ଉପକୂଳ ଛୁଇଁବ। ବର୍ଷା ଓ ପବନର ପ୍ରଭାବ ୧୦ ଜିଲ୍ଲା ଉପରେ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ‘ଦାନା’ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ। ୨୪ ତାରିଖ ମଧ୍ୟରାତ୍ରିରୁ ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ, ଯାହାକି ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ। ‘ଦାନା’ ଯେତେବେଳେ ସ୍ଥଳ ଭାଗ ଛୁଇଁବ ସେତେବେଳେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିଥିବ। ଭୀଷଣ ରୂପରେ ଆସୁଥିବା ‘ଦାନା’ ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅତିରୁ ଅତିପ୍ରବଳ ବର୍ଷା ଜାରି ରହିବ।

Leave a Reply

Your email address will not be published. Required fields are marked *