ଭୀଷଣ ସାମୁଦ୍ରିକ ଝଡର ରୂପ ନେଲା ବାତ୍ୟା ମୋକା

ଭୁବନେଶ୍ୱର,୧୨/୫: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’  ଭୀଷଣ ସାମୁଦ୍ରିକ ଝଡର ରୂପ ନେଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର ଦିଗକୁ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ମୋକା । ଏହି ଭୀଷଣ ସାମୁଦ୍ରିକ ଝଡ ପୋର୍ଟ ବ୍ଲେୟାର ଠାରୁ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ୫୨୦ କିମି ଦୂରେ ରହିଛି । ସେହିପରି ବାଂଲାଦେଶର କକ୍ସବଜାର ଠାରୁ ୧୦୩୦ କିଲୋମିଟର ଓ ମିଆଁମାରର ସତ୍ତ୍ୱେ ଠାରୁ ୯୫୦ କିଲୋମିଟର ଦୂରତାରେ ସମୁଦ୍ର ଭିତରେ ଗତି କରୁଛି ।ଆଗାମୀ ୬ ଘଣ୍ଟାରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୋଡ ବଦଳାଇ ମୋକା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ଆକଳନ କରିଛି ପାଣି ପାଗ ବିଭାଗ । ୧୪ ତାରିଖରେ ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ଦେଇ ଅତିକ୍ରମ କରିବ । ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୫୦ରୁ ୧୬୦ ରହିପାରେ । ସ୍ଥଳ ବିଶେଷରେ ସର୍ବାଧିକ ୧୬୫ କିଲୋମିଟର ବେଗରେ ପବନ ବହିପାରେ । ଉପକୂଳ ଛୁଇଁବା ବେଳେକୁ ବାତ୍ୟା ‘ମୋକା’ ଦୁର୍ବଳ ହୋଇଯାଇପାରେ । ବାତ୍ୟା ବାଂଲାଦେଶ-ମିଆଁମାର ମୁହାଁ ହେଉଥିବାରୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ।