ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତର ରୂପ ନେବା ସମ୍ଭାବନା

ଭୁବନେଶ୍ୱର,୮/୫: ମାଡି ଆସୁଛି ସାମ୍ଭାବ୍ୟ ବାତ୍ୟା । ଦକ୍ଷିଣପୂର୍ବ-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତର ରୂପ ନେବା ସମ୍ଭାବନା ରହିଛି । ଆସନ୍ତାକାଲି ବାତ୍ୟା ଓ ୧୧ରେ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହୋଇପାରେ । ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ଆକଳନ କରିଥିଲେ ବି, କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ କରିନି ଆଇଏମଡି । ତେବେ ପ୍ରାଥମିକ ଭାବେ ଏହା ବାଂଲାଦେଶ– ମିଆଁମାର ମୁହାଁ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଆଇଏମଡିର ଆକଳନ ଅନୁସାରେ, ୧୧ ତାରିଖ ପର୍ଯ୍ୟନ୍ତ ଏହା ଉତର-ଉତର-ପଶ୍ଚିମ ଦିଗରେ ଗତି କରିବ । ୧୨ତାରିଖ ପରେ ରିକର୍ଭ କରି ଧିରେ ଧିରେ ଉତର ଏବଂ ଉତର-ପୂର୍ବ ଦିଗରେ ବାଂଲାଦେଶ- ମିଆଁମାର ଆଡକୁ ଗତି କରିବ । ଓଡିଶା ସମେତ ବଙ୍ଗୋପସାଗର ଉପକୂଳରେ ଥିବା ପୂର୍ବ ତଟ ରାଜ୍ୟ ଗୁଡିକରେ ବର୍ତ୍ତମାନ ସୁଦ୍ଧା ବାତ୍ୟାର ଆଶଙ୍କା ନଥିବା ଆକଳନ କରିଛି ଆଇଏମଡି ।