କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କଟକ,୧୯/୫: କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ଭକ୍ତମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। ଏହା ସହ ଏହି କାମ ଏକ ବର୍ଷରେ ଶେଷ ହେବ ।

ସୂଚନାଯୋଗ୍ୟ ଯେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ପ୍ରଜେଣ୍ଟସେନ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖାଯାଇଥିଲା । ଓବିସିସି ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରି ଗୋଟି ଦ୍ବାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପରିସରରେ ଖଣ୍ଡାଲାଇଟସ୍‌ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ ସିସିଟିଭ ମଧ୍ୟ ଲଗାଯିବ।