ରାଜ୍ୟରେ ଆଜି ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ସଂକ୍ରମଣ ସଂଖ୍ୟା ୧୩କୁ ବୃଦ୍ଧି

ଭୁବନେଶ୍ୱର,୨୯/୧୨: ଓଡିଶାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ରାଜ୍ୟରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩ରେ ପହଁଚିଛି । ଗତକାଲି ମଧ୍ୟ ରାଜ୍ୟରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ରହିଛନ୍ତି । ଏସବୁ ଭିତରେ ରାଜ୍ୟରେ କରୋନାକୁ ନେଇ ସେଭଳି କିଛି ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ବେଳେ କେହି ସେମିତି ଗୁରୁତର ହୋଇନାହାନ୍ତି । କେବଳ ରାଜ୍ୟରେ ନୁହେଁ ଦେଶରେ ବି ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ବଢି ଚାଲିଛି । କେରଳରେ ସ୍ଥିତି ସାଙ୍ଘାତିକ ରହିଛି । କରୋନାର ନୂଆ ସବ୍-ଭାରିଆଂଟ୍ ଜେଏନ୍ ଡଟ୍ ୱାନ୍ ଏବେ କେରଳରେ ବେଶ ଭୟଙ୍କର ରୂପ ନେବା ଆରମ୍ଭ କରିଛି । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୦୯୧ ରହିଛି । କେରଳରେ ଏବେ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ର, ତାମିଲନାଡୁ ଓ ପଣ୍ଡିଚେରୀରେ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।