କିଶୋର ବର୍ଗଙ୍କୁ ୨ୟ ଡୋଜ୍ ଟିକା ଦେବା ନେଇ ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,୨/୨: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ଅନ୍ୟପଟେ ଓମିକ୍ରନର ଭୟ ଘନଉଛି । ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଏହାରି ମଧ୍ୟରେ କିଶୋର ବର୍ଗଙ୍କୁ ୨ୟ ଡୋଜ୍ ଟିକା ଦେବା ନେଇ କେନ୍ଦ୍ର ଗୁରୁତ୍ୱାରୋପ କରିଛି । ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ଏହି ସମ୍ପର୍କରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଦେଶରେ କିଶୋର ଟିକାକରଣ ଜାନୁଆରୀ ୩ରୁ ଆରମ୍ଭ କରାଯାଇଛି । କିଶୋରଙ୍କ ଟିକାକରଣ ଆରମ୍ଭ ହେବ ଠାରୁ ଏଯାବତ ମୋଟ ୪ କୋଟି ୬୬ ଲକ୍ଷ କିଶୋରଙ୍କୁ ପ୍ରଥମ ଡୋଜ୍ ଦିଆସାରିଛି । ଜାନୁଆରୀ ପ୍ରଥମାର୍ଦ୍ଧରେ ଟିକା ନେଇଥିବା ପିଲାଙ୍କ ୨ୟ ଡୋଜ୍ ନେବା ପାଇଁ ସମୟ ହୋଇଗଲାଣି । ତେଣୁ ସେମାନଙ୍କୁ ଉଚିତ ସମୟରେ ଦ୍ୱିତୀୟ ଡୋଜ୍ ଟିକା ଦେବା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ପ୍ରାଧିକୃତ ଅଧିକାରୀଙ୍କ ସହ ସମନ୍ଵୟ ରଖି ୨ୟ ଡୋଜ୍ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଯାଇଛି ।