ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୨୮/୨: ରାଜ୍ୟରେ ଏବେ କୋଭିଡ ସ୍ଥିତି ଟିକେ ସୁଧୁରିଛି। ଏହାରିମଧ୍ୟରେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି। ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଓ ହୋଲି ନେଇ ସରକାର ପରାମର୍ଶ ଜାରି କରିଛନ୍ତି। ଗତବର୍ଷ ଭଳି ଚଳିତ ଥର ମଧ୍ୟ ସର୍ବସାଧାରଣସ୍ଥଳରେ ଲୋକେ ହୋଲି ଖେଳିପାରିବେ ନାହିଁ। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର କଟକଣା ଲଗାଇ ପାରିବେ।

ରାଜ୍ୟ ସରକାରଙ୍କର ଗାଇଡଲାଇନ୍‌ ଅନୁସାରେ ୨୦୨୨ ମାର୍ଚ୍ଚ ୧ ତାରିଖ ସକାଳ ୫ଟାରୁ ୩୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି। ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ହେବ। ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ ମଧ୍ୟ କୋଭିଡ କଟକଣା ଅନୁସାରେ ହେବ। ସେହିଭଳି ବିବାହ, ବ୍ରତ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି ମିଳିବ। ଅନ୍ତ୍ୟେଷ୍ଟିକ୍ରିୟାରେ ୨୫୦ ଲୋକ ସାମିଲ ହୋଇପାରିବେ। ବିବାହ ଶୋଭାଯାତ୍ରାରେ ସର୍ବାଧିକ ୧୦୦ ଜଣ ଯୋଗଦେଇପାରିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ପ୍ରକାଶ ପାଇଛି।