ମାର୍ଚ୍ଚ ଦ୍ବିତୀୟ/ତୃତୀୟ ସପ୍ତାହରେ ଆସିପାରେ କରୋନାର ଚତୁର୍ଥ ଲହର: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର,୪/୧: ଆସନ୍ତା ମାର୍ଚ୍ଚ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦେଶରେ କରୋନାର ଚତୁର୍ଥ ଲହର ଆସିପାରେ। ୟୁକେର ଗୋଟିଏ ସଂସ୍ଥାର ମଡେଲ ଅନୁସାରେ ଚଳିତମାସ ୧୩ରୁ ୧୫ ତାରିଖ ମଧ୍ୟରେ ଚୀନ୍‌ରେ ଶୀର୍ଷ ସଂକ୍ରମଣ ଛୁଇଁପାରେ। ଏହି ସମୟରେ ସେଠାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ଓ ମୃତ୍ୟୁ ସଂଖ୍ୟା ୨୫ହଜାର ପାର୍ କରିବ। ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ କୌଣସି ମଡେଲ ଆସିନାହିଁ। ତଥାପି ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଆସିପାରେ ବୋଲି ଗୋଟିଏ ମଡେଲ ଅନୁମାନ କରିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ଅଜିତ ମହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ବୁଲେଟିନ୍‌ରେ କୁହାଯାଇଛି ଯେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହିଛି। ତେବେ ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ବର, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉର‌କେଲାରେ ଲୋକ ସମାଗମ ଅଧିକ ହେବ। ଦେଶ ତଥା ଦେଶ ବାହାରର ଅନେକ ଲୋକ ଓଡ଼ିଶାକୁ ଆସିବେ। ତାଙ୍କ ଜରିଆରେ ଆମ ରାଜ୍ୟକୁ ସଂକ୍ରମଣ ଆସିବାର ଆଶଙ୍କା ରହିଛି। ଏହାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବାହାରୁ ଆସୁଥିବା ଲୋକମାନେ କୋଭିଡ ନିୟମାବଳୀକୁ ପାଳନ କରିବା ଜରୁରୀ। ଗହଳିକୁ ଯାଉଥିଲେ ମାସ୍କ ପରିଧାନ, ସାମାନ୍ୟ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ଲାଗି ଅନୁରୋଧ କରାଯାଇଛି।