ଭୁବନେଶ୍ୱର,୦୯/୦୪: ଓଡ଼ିଶା ଇତିହାସରେ ପ୍ରଥମ । ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ ହେଲା । ଦଙ୍ଗା କରିବା, ଆଇନକୁ ହାତକୁ ନେବା ଭଳି ୧୦ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ । ଗତ ୧୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିଥିଲେ କଂଗ୍ରେସ କର୍ମୀ ଓ ନେତା । ବିକ୍ଷୋଭ ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଓ କଂଗ୍ରେସ କର୍ମୀ ଆହତ ହୋଇଥିଲେ । ଏହି ମାମଲାରେ କ୍ୟାପିଟାଲ୍ ଥାନା ପୋଲିସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମତେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନାଙ୍କ ସମେତ ୫ହଜାରରୁ ଊର୍ଦ୍ଧ୍ବ ନେତା ଓ କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ମାତ୍ର ୪ଜଣଙ୍କୁ ଗିରଫ କରିଛି । ଆଇନ ଶୃଙ୍ଖଳା ଦ୍ୱାହିରେ ରାଜନୈତିକ ଅସହିଷ୍ଣୁତାର ଏଭଳି ବିରଳ ଘଟଣା ପରିଲକ୍ଷିତ ହୋଇଛି । ଗତ ମାର୍ଚ୍ଚ ୨୭ରେ ରାଜଧାନୀରେ କଂଗ୍ରେସ ରଣହୁଙ୍କାର ଦେଇଥିଲା । ବିଧାନସଭା ଘେରିବାକୁ ବିଶାଳ ପଦଯାତ୍ରା ପରେ ଲୋୟର ପିଏମ୍ଜିରେ ଉତ୍ତେଜନା ଦେଖା ଦେଇଥିଲା । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା କଂଗ୍ରେସ । ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ସ୍ଥିତି ଅଣାୟତ୍ତ ହେବାପରେ ପୋଲିସ ଲାଠିଚାର୍ଜ କରିବା ସହ ପାଣିମାଡ଼ କରିଥିଲା ।