କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ମୁଖପାତ୍ର ଗୌରବ ବଲ୍ଲଭ

ଭୁବନେଶ୍ୱର,୪/୦୪: କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ମୁଖପାତ୍ର ଗୌରବ ବଲ୍ଲଭ । ଆଜି ସେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଗୌରବ ବଲ୍ଲଭ ଦଳ ଛାଡିବାର କାରଣ ମଧ୍ୟ କହିଛନ୍ତି । ସେ ସନାତନ ବିରୋଧୀ ନାରା ଦେଇପାରିବେନି, ଏବଂ ଦିନ ରାତି ଗାଳି ଦେଇପାରିବେନି ବୋଲି କହିଛନ୍ତି। ତେଣୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ଗୌରବ ବଲ୍ଲଭ କଂଗ୍ରେସ ଅଧ୍ୟକ୍ଷଙ୍କ ପାଖକୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଭାବୁକ ଅଛି, ମନ ବ୍ୟଥିତ ଅଛି । ଅନେକ କିଛି କଥା କହିବାକୁ ଅଛି, ଲେଖିବାକୁ ଅଛି । ହେଲେ ମୋ ସଂସ୍କାର ସେମିତି କିଛି ବି କହିବାକୁ ମନା କରୁଛି, ଯେଉଁଥିରେ ଅନ୍ୟମାନଙ୍କୁ କଷ୍ଟ ହେବ । ତଥାପି ଆଜି ମୋ କଥାକୁ ଆପଣଙ୍କ ସମ୍ମୁଖରେ ରଖୁଛି । ମୋତେ ଲାଗୁଛି ସତକୁ ଲୁଚାଇବା ବି ଅପରାଧ, ଆଉ ମୁଁ ସେ ଅପରାଧର ଭାଗିଦାରୀ ହେବାକୁ ଚାହୁଁନି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଅର୍ଥନୀତିର ଜଣେ ପ୍ରଫେସର ଅଟେ । ମୁଁ ଯେତେବେଳେ କଂଗ୍ରେସ ପାର୍ଟିର ସଦସ୍ୟତା ଗ୍ରହଣ କଲି, ସେତେବେଳେ ଦଳ ମୋତେ ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ୱ ଦେଲା । ଆଉ ଅନେକ ପ୍ରସଙ୍ଗରେ ମୁଁ ମୋ ପକ୍ଷ ରଖିଥିଲି । ହେଲେ ଗତ କିଚି ଦିନ ଧରି ପାର୍ଟିର ସ୍ଥିତିକୁ ନେଇ ମୁଁ ନିଜକୁ ଅସହଜ ମନେ କରୁଛି । ଗ୍ରାଉଣ୍ଡରେ ପାର୍ଟିର ସମ୍ପର୍କ ଛିନ୍ନ ହେଇସାରିଲାଣି । ଯେଉଁ କାରଣରୁ ପାର୍ଟି ନା ସରକାରକୁ ଫେରିପାରୁଛି, ନା ବିରୋଧୀ ଭାବେ ନିଜର ଦାୟିତ୍ୱ ନିର୍ବାହ କରିପାରୁଛି ।