ଶୀତଋତୁରେ ଭୟଙ୍କର ହୋଇପାରେ କରୋନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦ା୧୦(ଦି ପ୍ରଗତି ନ୍ୟୁଜ୍): ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଶୀତଋତୁରେ କରୋନା ଭୟଙ୍କର ରୂପ ଧରିପାରେ । ତେଣୁ ସାବଧାନ ରହିବା ଜରୁରୀ । ଏହାସହ ସେ ପୂଜା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ୭ମାସ ହେଲା କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଆମକୁ ଅନେକ କଷ୍ଟ ଓ ତ୍ୟାଗ ସ୍ୱୀକାର କରିବାକୁ ମଧ୍ୟ ପଡ଼ିଛି । ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡ଼ିଛି । ଘରେ ରହି ହିଁ ଆମେ କରୋନା ବିରୋଧରେ ଭଲ ଲଢ଼େଇ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଗତ ୬ମାସ ହେବ କରୋନା ସଂକ୍ରମଣ ରୋକିବାରେ ଆମେ ସଫଳ ହୋଇଛୁ । କରୋନା ବିରୋଧରେ ସମସ୍ତ ନାଗରିକଙ୍କ ସହଯୋଗ ରହିଛି । ଗତ୧୫ ଦିନ ହେବ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ଆସିନାହିଁ ତେଣୁ ଆମେ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି । କରୋନା ସଂକ୍ରମଣ ପୁନଃବାର ହେଲେ ସ୍ଥିତି ସାଙ୍ଘାତିକ ହୋଇପଡ଼ିବ । ଅନ୍ୟପଟେ ଆଗକୁ ଶୀତଋତୁ ଆସୁଥିବା ବେଳେ ଏହି ସମୟରେ ଟିକେ ଅସାବଧାନତା ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଆଗକୁ ଆସୁଥିବା ଦୁର୍ଗାପୂଜା ଓ ଦୀପାବଳି ସମୟରେ ବାହାରେ ଭିଡ଼ ନକରିବାକୁ ସେ ଅନୁରୋଧ କରିଛନ୍ତି ।