ବଜେଟ ୨୦୨୨-୨୩, ଓଡ଼ିଶା ପ୍ରତି ପୁନର୍ବିଚାର କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର,୧/୨: ବଜେଟ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏହି ବଜେଟରେ ଅଳ୍ପ ଖୁସି ଓ ବେଶୀ ନିରାଶା ହୋଇଛନ୍ତି । କୃଷି, ଉଚ୍ଚଶିକ୍ଷା, ଗ୍ରାମୀଣ ଉନ୍ନୟନ, ମହିଳା ଓ ଶିଶୁ କଲ୍ୟାଣ ଦିଗରେ ବ୍ୟୟବରାଦ କମିଥିବା ସେ କହିଛନ୍ତି । ଏହା ସାମଗ୍ରିକ ବିକାଶ ଦିଗର ପ୍ରଭାବ ପକାଇବ । ମହାମାରୀ ସମୟରେ ମନରେଗା ଅନୁଦାନ କମିବା ଗରିବ ଲୋକ ପାଇଁ ହିତକର ନୁହେଁ। ଭିତ୍ତିଭୂମି ଓ ବୈଷୟିକ ଜ୍ଞାନ କୌଶଳର ଦିଗରେ ବଜେଟରେ ସକରାତ୍ମକ ଦିଗ ରହିଛି । ମହାମାରୀ ସମୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଏହା ଯଥେଷ୍ଟ ସହାୟକ ହେବ । ଦରଦାମ୍ ବୃଦ୍ଧି ଯୋଗୁଁ ଗରିବ ଓ ମଧ୍ୟବିତ ଅଧିକ ପ୍ରଭାବିତ ହୋଇଛନ୍ତି । ଏଲ୍‌ପିଜି ସବ୍‌ସିଡି କମିଥିବାରୁ ମହିଳା ଓ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇବ । ଗ୍ରାମୀଣ ଗୃହ ଯୋଜନାରେ ଓଡ଼ିଶାକୁ ଅବହେଳା ହୋଇଛି । ଓଡ଼ିଶା ପ୍ରତି ପୁନର୍ବିଚାର କରାଯିବା ନେଇ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଅନୁଦାନ ପାଇଁ ଦାବି ସତ୍ୱେ ବଜେଟରେ କିଛି ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଭାଇରସ୍ ପାଣ୍ଡମେକ୍ ଯୁଗରେ ଏହି ବଜେଟ୍ ଉପସ୍ଥାପିତ ହୋଇଛି । ଏହା ହେଉଛି ଅର୍ଥମନ୍ତ୍ରୀ ସୀତାରମଣଙ୍କ ଚତୁର୍ଥ ବଜେଟ୍ ।