ହାରିଗଲେ ବି ରାଜ୍ୟବାସୀଙ୍କ ସେବାରେ କୌଣସି ଅବହେଳା କରିବିନି: ନବୀନ

ଭୁବନେଶ୍ୱର, ୮/୦୬: ୨୦୨୪ ନିର୍ବାଚନରେ ବିଜେଡି ହାରିବା ପରେ ପ୍ରଥମ ଥର ପାଇଁ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି, ‘ ବାରମ୍ବାର ମୋତେ ସେବାର ସୁଯୋଗ ଦେଇଥିବାରୁ ମୁଁ ଓଡିଶାବାସୀଙ୍କ ପାଖରେ ଚିର କୃତଜ୍ଞ । ମୁଁ ହାରିଯିବା ପରେ ବି ଓଡିଶା ବାସୀଙ୍କ ସେବାରେ କୌଣସି ପ୍ରକାର ହେଳା କରିବିନି। ରାଜ୍ୟବାସୀଙ୍କ ଆଶୀର୍ବାଦରେ ଆମେ ଓଡିଶାକୁ ବିକାଶରେ ଉଚ୍ଚକୋଟିର ଯୋଗଦାନ ଦେଇଆସିଥିଲୁ । ଏହାମଧ୍ୟ କହିଛନ୍ତି ଯେ ଭିକେ ପାଣ୍ଡିଆନ୍ ମୋର ଉତ୍ତରାଧିକାରୀ ନୁହଁନ୍ତି । ବରଂ ମୋ ପରେ ମୋର ଉତ୍ତରାଧିକାରୀ କିଏ ହେବ ତାର ନିଷ୍ପତ୍ତି ରାଜ୍ୟବାସୀ କରିବେ’ । ଭିକେ ପାଣ୍ଡିଆନଙ୍କ ଉପରେ ହେଉଥିବା ସମାଲୋଚନାକୁୁ ଖଣ୍ଡନ କରିଛନ୍ତି ନବୀନ । କହିଛନ୍ତି, ‘ ଦଳର ପରାଜୟ ପରେ ଭିକେ ପାଣ୍ଡିଆନଙ୍କ ବିରୋଧରେ ଅନେକ ସମାଲୋଚନା ହେଉଛି । ଜଣେ ଅଫିସର ଭାବେ ସେ ଭଲ କାମ କରିଛନ୍ତି । ଗତ ୧୦ ବର୍ଷ ଭିତରେ ଅନେକ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି ।
ଏହାପରେ ନିଜ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ନେଇ ସଫେଇ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ । କହିଛନ୍ତି, ‘ ମୋ ସ୍ୱାସ୍ଥ୍ୟ ସବୁବେଳେ ଭଲ ଥିଲା, ଭଲ ରହିଛି । ଗତ ମାସରେ ମୁଁ କିଭଳି ଲଗାତାର ଭାବେ ପ୍ରଚାର କରିଛି , ଏହା ତା’ର ଜ୍ୱଳନ୍ତ ପ୍ରମାଣ’ ।