କୁଶଳୀ କାରିଗରଙ୍କ ଦରମା ବଢାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୦୨: କୁଶଳୀ କାରିଗରଙ୍କ ଦରମା ବଢାଇଲେ ରାଜ୍ୟ ସରକାର । ସ୍ୱାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ଅଢେଇ ହଜାର ଟଙ୍କା ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ହଜାର ଟଙ୍କା ପାରିଶ୍ରମିକ ପାଇ ଗ୍ରାମ ପଞ୍ଚାୟତରେ କାମ କରୁଥିବା କାରିଗର ଏଣିକି ୬ ହଜାର ୫ଶହ ଟଙ୍କା ପାରିଶ୍ରମିକ ପାଇବେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିି ଦ୍ୱାରା ୧୩ ହଜାର ସ୍ୱାବଲମ୍ବୀ କାରିଗର ଉପକୃତ ହେବେ । ଫାଇଭ୍-ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ସ୍ୱାବଲମ୍ବୀ କାରିଗରଙ୍କ ପାଉଣା ବଢାଇବା ପାଇଁ ଅନୁରୋଧ କରାଯାଇଥିଲା । ଏନେଇ ଫାଇଭ-ଟି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପାଉଣା ବୃଦ୍ଧି କରାଯାଇଛି । ପ୍ରତି ଗାଁରେ ନିୟମିତ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମ ପଞ୍ଚାୟତରେ ଦୁଇ ଜଣ ଲେଖାଏଁ, ସ୍ୱାବଲମ୍ବୀ କାରିଗର ନିୟୋଜିତ ଅଛନ୍ତି । ପାଇପ୍ ଜଳ ଯୋଗାଣ, ରକ୍ଷଣାବେକ୍ଷଣ ଓ ନଳକୂପ ମରାମତି ପାଇଁ ନିରନ୍ତ ସେବା ଯୋଗାଇ ଆସୁଛନ୍ତି ।