କେନ୍ଦୁଝର ଦୁର୍ଘଟଣା, ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୦୬: କେନ୍ଦୁଝର ଜିଲ୍ଲା ଷଠୀଘର ଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ ଯେ  କେନ୍ଦୁଝର ଷଠୀଘର ସାହିରେ କନ୍ୟାଘର ସମ୍ମୁଖରେ ବରଯାତ୍ରୀମାନେ ନାଚୁଥିଲେ । ଏହି ସମୟରେ ଶୁଆକାଟୀ ପଟୁ ହଠାତ୍ ଏକ ଟ୍ରକ୍ ଦ୍ରୁତବେଗରେ ଆସି ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ୫ ଜଣ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇବା ସହ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଥିଲେ ।