ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ପ୍ରସଙ୍ଗ, ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୫: ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି ।  ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ପାଇଁ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପାମୂଳକ ରାଶିର ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଗୁରୁତର ଆହତଙ୍କ କ୍ଷେତ୍ରରେ ସହାୟତା ପରିମାଣ ମଧ୍ୟ ବୃଦ୍ଧି ପାଇଛି । ୬୦ ପ୍ରତିଶତରୁ କମ୍‌ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୧ ଲକ୍ଷ ଟଙ୍କାରୁ ୧.୫୦ ଲକ୍ଷ ଟଙ୍କା ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସାମାନ୍ୟ ଆହତଙ୍କ କ୍ଷେତ୍ରରେ ପୂର୍ବରୁ ସହାୟତା ପରିମାଣ ୫ ହଜାର ଟଙ୍କା ଥିଲା । ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାର ଆବଶ୍ୟକତା ଥିଲେ, ସେ କ୍ଷେତ୍ରରେ ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ଚିକିତ୍ସାର ସମୟ ଏକ ସପ୍ତାହରୁ କମ୍‌ ହେଲେ, ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୫ ହଜାର ଟଙ୍କା ସହାୟତା ଦିଆଯିବ ।