ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୧: ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ ବ୍ୟାଙ୍କ।  ମିଶନ ଶକ୍ତିର ମା’ମାନଙ୍କ ପାଇଁ ଆଜି ଆରମ୍ଭ ହୋଇଛି ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମ। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ। ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଓ ଓଡିଶାର ରୂପାନ୍ତରରେ ଭାଗୀଦାର ହେବାପାଇଁ ବ୍ୟାଙ୍କମାନଙ୍କୁ ଆହ୍ବାନ ଜଣାଇଛନ୍ତି ।