ଆଜି ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୧୨: ଆଜି ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବେ । ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିସନ ଶକ୍ତି ଋଣ ସହାୟତା ପ୍ରଦାନ କରିବେ ନବୀନ । ଏହି ରାଶି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ଅଭିନବ ପଦକ୍ଷେପ ‘ଏକ ଗ୍ରାମ ପଂଚାୟତ ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ନୂତନ ପାହାଚରେ ପହଂଚାଇବାରେ ସହଯୋଗ କରିବ । ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୧୫ରେ ପୋଲିସ ରିଜର୍ଭ ପଡ଼ିଆରେ ପହଂଚିବେ । କଡ଼ା ସୁରକ୍ଷା ମଧ୍ୟରେ ଶୋଭରାମପୁର ସ୍ଥିତ ନୂଆ ରେଲୱେ ଓଭରବ୍ରିଜ୍ ନିକଟକୁ ଯିବେ । ସେଠାରେ ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ପୋଲିସ ରିଜର୍ଭ ପଡ଼ିଆରେ ଆୟୋଜିତ ସଭାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।