ଭୁବନେଶ୍ୱର,୩୦/୦୧: ରାଜ୍ୟ ସରକାରଙ୍କ ପକ୍ଷରୁ ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବ୍ରୁଆରି ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି । ୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ସରକାର ବଜେଟ୍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି । ନୂଆ ମାର୍ଗଦର୍ଶିକା ମୁତାବକ ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ। ନୂଆ ବ୍ୟବସ୍ଥା ଅନୁସାରେ ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ।
ଏଥିପାଇଁ ମୋଟ ପାଣ୍ଠିର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଆଇଟିଡିଏ ବା ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧୀନରେ ଥିବା ବ୍ଲକ୍ରେ ବ୍ଲକ୍ରେ ଖର୍ଚ୍ଚ ହେବ । ରାଜ୍ୟର ମୋଟ ୩୧୪ ବ୍ଳକ୍ ଭିତରୁ ୧୨୧ଟି ବ୍ଳକ୍ ଆଇଟିଡିଏ ଅଧୀନରେ ଆସୁଛି । ବାକି ୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହେବ । ପ୍ରତି ଗାଁରେ ଭଲ ରାସ୍ତା ନିର୍ମାଣ ପାଇଁ ଟଙ୍କା ଦିଆଯିବ । ଗାଁରେ ବ୍ଲକ ଟପ୍ ରୋଡ୍, କଂକ୍ରିଟ୍ ରୋଡ଼ ଓ ପେଭର ବ୍ଲକ ରାସ୍ତା ତିଆରି ହେବ। ଆବଶ୍ୟକ ସ୍ଥାନରେ ଡ୍ରେନ୍ ବି ନିର୍ମାଣ ହେବ।
ତେବେ ପଞ୍ଚାୟତକୁ ମିଳିଥିବା ମୋଟ ପାଣ୍ଠିର ୩୫ ପ୍ରତିଶତ କେବଳ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ । ଏହାଠାରୁ ଅଧିକ ଟଙ୍କା ରାସ୍ତା ନିର୍ମାଣ ପାଇଁ ଖର୍ଚ କରିହେବନି। ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ଅଞ୍ଚଳ ଭିତରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ମେଟାଲିଂ ମାନର ରାସ୍ତା ନିର୍ମାଣ କରଯିବ । ଏହି ଯୋଜନା ଅଧୀନରେ ପ୍ରତି ବ୍ଲକରେ ରିଡିଂ ରୁମ୍ ବା ପଠନ ଗୃହ ବ୍ୟବସ୍ଥା କରାଯିବ । ଏଠାରେ ପଢ଼ା ବହି ସାଙ୍ଗକୁ ଇଣ୍ଟରନେଟ୍ ସୁବଧା ମିଳିବ। ପୂର୍ବାହ୍ନ ୯ଟାରୁ ରାତି ୯ଟା ଯିଏ ଏହା ଖୋଲା ରହିବ। ସେହିଭଳି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗି ରୁମ୍, ମର୍କେଟ୍ ସେଡ୍ ତିଆରି ପାଇଁ ଟଙ୍କା ମିଳିବ। ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ତିଆରି ହେବ ।