ବାଲେଶ୍ବରର ବିକାଶ ପାଇଁ ୧୫୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩/୪: ବାଲେଶ୍ବରର ସାମଗ୍ରୀକ ବିକାଶ ପାଇଁ  ୧୫୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ଥିବା ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡର ବିକାଶ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେବ। ତୁମୁଳିଆ ଗେଟ ଫ୍ଲାଏଓଭରରୁ ଷ୍ଟେସନ ଛକ ଯାଏ ୬ ଲେନ୍ ରାସ୍ତା ହେବ ଓ ସେହି ୬ ଲେନ୍ ରାସ୍ତାରେ ଅତ୍ୟାଧୁନିକ ଷ୍ଟ୍ରୀଟ ଲାଇଟ୍ ବ୍ୟବସ୍ଥା କରାଯିବ ।ବାଲେଶ୍ବର ମ୍ୟୁନିସିପାଲିଟିର ସବୁ ରାସ୍ତାର ଉନ୍ନତୀକରଣ କରାଯିବ । ୬ ଲେନ୍ ରାସ୍ତା, ଷ୍ଟ୍ରୀଟ ଲାଇଟ ପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଏହା ସହରର ଟ୍ରାଫିକ ସମସ୍ୟା ଦୂର କରିବାରେ ସହାୟକ ହେବ ।

ସେହିପରି କ୍ରୀଡ଼ାର ବିକାଶ ପାଇଁ  ୧୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ବହୁମୁଖୀ ଇଣ୍ଡୋର ହଲ ଓ ସୁଇମିଂପୁଲ୍ କରାଯିବ । ବୁଢ଼ାବଳଙ୍ଗ ନଦୀପଠାର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୫୩ କୋଟି । ପୌରାଞ୍ଚଳରେ ଥିବା ସବୁ ପୋଖରୀର ବିକାଶ କରାଯିବ । ଡ୍ରେନେଜ, କେନାଲ, ରାସ୍ତାର ବିକାଶ ପାଇଁ  ୭ କୋଟି ଟଙ୍କା ଖର୍ଚ୍ଚ ହେବ।

ଉଲ୍ଲେଖ ଯୋଗ୍ୟଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫T)  ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ  କିଷନ କୁମାର ସକାଳେ ବାଲେଶ୍ଵର ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରି ସେମାନେ ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ  ଏହି ପ୍ୟାକେଜ ଘୋଷଣା କରିଛନ୍ତି ।