ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୧୧: ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରି ସେତେବେଳେ ୧୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ। ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଜୀବିକା, ସ୍ବାସ୍ଥ୍ୟସେବା, ଯୋଗାଯୋଗ, ଜଳସେଚନ ଉପରେ ଗୁରୁତ୍ବ ଦିଆଯିବା ସହ ସ୍ବାଭିମାନ ଅଞ୍ଚଳରେ ଭଲ ହଳଦୀ ଚାଷର ଆଦର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ତେଣୁ ଅଧିକ ହଳଦୀ ଚାଷ, ପ୍ରୋସେସିଂ ଓ ବ୍ରାଣ୍ଡିଂ ପାଇଁ ପଦକ୍ଷେପ ନିଆଯାଇଛି।

ବିଜୁଳି ପାଇଁ ୩୩ କେଭି କାମ ଖୁବଶୀଘ୍ର ଶେଷ ହେବ ଓ ୭୮ କିମି ରାସ୍ତା, ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ମେଗା ପାଇପ କାମ, ୨୫୦ଟି ଟ୍ୟୁବୱେଲ୍‌ କାମ ଚାଲିଛି। ୩୨ କୋଟି ଟଙ୍କା ଖର୍ଚ୍ଚରେ ଉଠା ଜଳସେଚନ କାମ ଚାଲିଛି। ୪୧୯ଟି କ୍ଲଷ୍ଟର ଡିପ୍‌ ବୋର୍‌ୱେଲ କରାଯିବ। ଯାହାଦ୍ୱାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ। ସ୍ବାଭିମାନ ଅଞ୍ଚଳରେ ୮୨ ଅଙ୍ଗନବାଡ଼ି କାମ ଚାଲିଛି । ୪ଟି ମୋବାଇଲ ଟାୱାର ଥିବା ବେଳେ ପରେ ଆଉ ୩ଟି ଟାୱାର କରାଯିବ। ସ୍ବାଭିମାନ ଅଞ୍ଚଳରେ ସବୁ ପରିବାରକୁ ସ୍ମାର୍ଟ ଫୋନ୍‌ ଯୋଗାଇବେ ସରକାର। ଅନ୍ୟପଟେ ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରିବାକୁ ଅନୁରୋଧ କରିଛନ୍ତି ନବୀନ ।