ଦୁଇଟି ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୧୮/୨: ଓଡିଶା ଖଣି ନିଗମର ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି ।

ଏହି ଦୁଇଟି ଖଣିକୁ OMCକୁ ଆବଣ୍ଟନ କରିବା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି OMC ମଧ୍ୟ ଏହି ଖଣି ଦୁଇଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ତ୍ବରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ OMCକୁ ସାଧୁବାଦ ଜଣାଇଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଓଡିଣା ଖଣିଜ ସଂପଦରେ ସମୃଦ୍ଧ ହେବ। ତେଣୁ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କଲେ ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତି ସମୃଦ୍ଧ ହେବ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ  ଅଶ୍ବିନୀ ବୈଷ୍ଣବ, ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର, ଉନ୍ନୟନ କମିଶନର  ପି.କେ. ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।