ରେସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ଏଣିକି ସବୁ ଅନ୍‌ ଲାଇନରେ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୧୦(ଦି ପ୍ରଗତି ନ୍ୟୁଜ୍): ରେସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ପର୍ଯ୍ୟନ୍ତ ଏଣିକି ସବୁ ଅନ୍‌ ଲାଇନ ରେ ହୋଇପାରିବ। ଜଣେ ବି ଗରିବ ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କିପରି ନହେବେ ସେନେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରିଛନ୍ତି। ଲୋକମାନେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶୃତିବଦ୍ଧ। ତେଣୁ ମାସକ ମଧ୍ୟରେ କେତେ ଲୋକ ଏହି ଅନ୍‌ଲାଇନ ସୁବିଧାର ବ୍ୟବହାର କଲେ, ସେ ସଂପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ଖାଦ୍ୟ ସୁରକ୍ଷା ଦିଗରେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ଯେଉଁ ବ୍ୟାପକ ପରିବର୍ତ୍ତନ ଆସିଛି, ସେ ସଂପର୍କିତ ସମସ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତକ Making of a Food Secure Odisha କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରି ।
ସୂଚନାଯୋଗ୍ୟ ଯେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଗୁଡିକ ହେଲା – ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କ ପଞ୍ଜୀକରଣ, ରେସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ ଇତ୍ୟାଦି, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନ୍‌ସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନ ମାନଙ୍କ ଦ୍ବାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ । ଏସବୁ ସୁବିଧା ଗୁଡିକ www.foododisha.in ରେ Cetizen Services ଲିଙ୍କ୍ ରେ ମିଳିପାରିବ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ଏ.କେ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।