୨୦୧୦ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଲାଗୁ କରିଛନ୍ତି ୩୧ଟି ନୂଆ ଯୋଜନା

ଭୁବନେଶ୍ୱର,୧୪/୦୭: ରାଜ୍ୟ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଇଁ ଆଣିଛି । ସମାଜର ପ୍ରତିଟି ବର୍ଗର ଲୋକ ସରକାର ଆଣିଥିବା ବିଭିନ୍ନ ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । ଆଉ ଏହି ଯୋଜନା ପ୍ରଣୟନ କ୍ଷେତ୍ରରେ ରାଜ୍ୟ ସରକାର ଆଗୁଆ ରହିଛନ୍ତି । ଗତ ୨୦୧୦ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ୩୧ଟି ନୂଆ ଯୋଜନା ଲାଗୁ କରିଛନ୍ତି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ୨୦୧୦-୨୦୨୨ ମଧ୍ୟରେ କେତୋଟି ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର? ଏହି ଯୋଜନା ମଧ୍ୟରୁ କେତୋଟି ଯୋଜନା ବନ୍ଦ କରିଛନ୍ତି ସରକାର? ଏନେଇ ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ଭବାନୀ ଶଙ୍କର ଭୋଇ । ଆଉ ଗୃହରେ ଏହାର ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ୨୦୧୦ ରୁ ୨୦୨୨ ମଧ୍ୟରେ ୩୧ ଗୋଟି ନୂଆ ଯୋଜନା ଲାଗୁ କରିଛନ୍ତି ଓଡିଶା ସରକାର । ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟ ସରକାର ସର୍ବାଧିକ ୧୬ ଗୋଟି ଯୋଜନା ଲାଗୁ କରିଥିଲେ । ଏହି ୧୬ ଗୋଟି ଯୋଜନା ମଧ୍ୟରୁ କିଛି ଯୋଜନା ୨୦୧୯ ସାଧାରଣ ନିର୍ବାଚନ ପରେ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ଆଉ କିଛି ଯୋଜନାର ସର୍ତ୍ତାବଳୀ ପରିବର୍ତ୍ତନ କରାଯାଇଛି ।ରାଜ୍ୟର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି କହିଛନ୍ତି ମନ୍ତ୍ରୀ ।