ପୂଜା ସମୟରେ କୋଭିଡ କଟକଣା ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୨୧/୧୦(ଦି ପ୍ରଗତି ନ୍ୟୁଜ୍): ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧା ମାନଙ୍କ କଠିନ ପରିଶ୍ରମ ଯୋଗୁ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁ ରାଜ୍ୟରେ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ କମୁଛି। ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହୋଇଛି ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଛି। ତଥାପି ଆତ୍ମସନ୍ତୋଷର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି। ଏହାସହ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବା ସହିତ ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।