ନୂଆଦିଲ୍ଲୀ,୨/୦୧: ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ଚେତନା । ଅକ୍ଲାନ୍ତ ପରିଶ୍ରମ ପରେ ବି ରାଜସ୍ଥାନର କୋଟପୁତଲିରେ ବୋରୱେଲରେ ପଡ଼ିଯାଇଥିବା ୩ ବର୍ଷର ଚେତନାକୁ ବଞ୍ଚେଇ ପାରିଲେନି । ୨୨୦ ଘଣ୍ଟା ପରେ ତାକୁ ବାହାର କରି ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଚେତନାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି । ଡିସେମ୍ବର ୨୩ ତାରିଖରେ ରାଜସ୍ଥାନର କୋଟପୁଟଲିର ବାଡିଆଲି ଗାଁରେ ୩ ବର୍ଷର ଚେତନା ବୋରୱେଲକୁ ଖସି ପଡ଼ିଥିଲା। ସେବେଠାରୁ ପ୍ରଶାସନ, ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ନାବାଳିକାଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଥିଲେ।ଏହି ଅପରେସନ ୧୦ ଦିନ ଧରି ଚାଲିଥିଲା ।ତିନି ବର୍ଷର ଚେତନାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା । ୧୦ ଦିନ ଧରି ଉଦ୍ଧାର କାର୍ୟ୍ୟ ଚାଲିଥିଲେ ମଧ୍ୟ ନାବାଳିକାକୁ ବଞ୍ଚାଇ ପାରିନଥିଲା । ଉଦ୍ଧାର କାର୍ୟ୍ୟରେ ବହୁ ଏସଡିଆରଏଫ ଓ ଏନଡିଆରଏଫ ଯବାନ ସାମିଲ ହୋଇଥିଲେ । ଏଥିସହ ଅଗ୍ନିଶମ ବାହିନୀ, ଜେସିବି ଓ ପୌର ପରିଷଦର ବହୁ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ମୁତୟନ ହୋଇଥିଲେ । ଏହାବ୍ୟତୀତ କୋଟପୁଟଲିର ୩ଟି ଥାନାର ଏସପି, ଏଏସପି, ଡିଏସପି ଓ ଏସଏଚଓ ମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।