ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ଆସନ୍ତାକାଲି ହେବ ଉତକ୍ଷେପଣ

ଭୁବନେଶ୍ୱର,୧୩/୦୭: ଇତିହାସ ରଚିବା ଅପେକ୍ଷାରେ ଭାରତ।ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି । ଭାରତର ତୃତୀୟ ଚନ୍ଦ୍ର ଅନୁସନ୍ଧାନ ମିସନ ଚନ୍ଦ୍ରଯାନ-୩ ଏଲ୍‌ଭିଏମ୍‌୩ ଲଞ୍ଚରର ଚତୁର୍ଥ କାର୍ଯ୍ୟକ୍ଷମ ମିସନରେ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହା ଚନ୍ଦ୍ରଯାନ-୨ର ଏକ ଫଲୋଅପ୍ ମିସନ ଯାହା ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରି ଭ୍ରମଣ କରିବାର ସମସ୍ତ କ୍ଷମତା ପ୍ରଦର୍ଶନ କରିବ। ସୂଚନାଯୋଗ୍ୟ, ଏକ ସଫ୍ଟୱେର୍ ତ୍ରୁଟି କାରଣରୁ ସେପ୍ଟେମ୍ବର ୨୦୧୯ରେ ଚନ୍ଦ୍ରଯାନ-୨ କ୍ରାସ୍-ଲ୍ୟାଣ୍ଡିଂ କରିଥିଲା ।ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ କହିଛନ୍ତି ଯେ, ଚନ୍ଦ୍ରଯାନ-୨ରେ ଏକ ସଫଳତା-ଭିତ୍ତିକ ଡିଜାଇନ୍ ବଦଳରେ ସ୍ପେସ୍ ଏଜେନ୍ସି ଚନ୍ଦ୍ରଯାନ-୩ରେ ଏକ ବିଫଳତା-ଭିତ୍ତିକ ଡିଜାଇନ ବାଛିଛି, ଯାହା ଏକ ସଫଳ ଅବତରଣକୁ ସୁନିଶ୍ଚିତ କରିବ ।