ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ

ନୂଆଦିଲ୍ଲୀ,୧/୨: ଗତକାଲି ହେମନ୍ତ ସୋରେନ ଇସ୍ତଫା ଦେବା ପରେ ତାଙ୍କୁ ଇଡି ଗିରଫ କରିଥିଲା । ଏହାପରେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଚମ୍ପଇ ସୋରେନ । ଜେଏମଏମ ପକ୍ଷରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ଚମ୍ପଇ ସୋରେନ ହେମନ୍ତ ସୋରେନଙ୍କ ଘନିଷ୍ଠ ହୋଇଥିବା ବେଳେ ବର୍ତ୍ତମାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି ନେତା ଝାଡ଼ଖଣ୍ଡ ଟାଇଗର ଭାବେ ମଧ୍ୟ ବେଶ ପରିଚିତ । ଚମ୍ପଇ ସୋରେନ ଝାଡଖଣ୍ଡ ସରକାରର ପରିବହନ ଓ ଏସସି-ଏସଟି ମନ୍ତ୍ରୀ ଅଛନ୍ତି । ପ୍ରଥମେ ଷଢେଇକଳା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ ।