ରତଯାତ୍ରାରେ ଭକ୍ତଙ୍କ ପାଇଁ ଚାଲିବ ୨୫୦ଟି ସ୍ବତନ୍ତ୍ର ବସ

ପୁରୀ,୧୮/୦୬ : ଆଉ ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାରିମଧ୍ୟରେ ଚଳିତବର୍ଷ ରଥଯାତ୍ରାରେ ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର, କୋଣାର୍କ ପାର୍ଶ୍ବରୁ ଆସୁଥିବା ବସ୍‌ ସହ ଅନ୍ୟାନ୍ୟ ଗାଡ଼ିମୋଟର ଏଠାରେ ପାର୍କିଂ ହେବ। ଏଥିପାଇଁ ତାଳବଣିଆ ପଡ଼ିଆରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥରେ ଚେକିଂ ପଏଣ୍ଟ କରାଯାଇଛି।ପ୍ରତିବର୍ଷ ଭଳି ଚଳିତ ରଥଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତ ଏଠାରେ ଠୁଳ ହେବେ। ଏଥିପାଇଁ ଏଠାରେ ଅସ୍ଥାୟୀ ବିଶ୍ରାମସ୍ଥଳୀ ସାଙ୍ଗକୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଛାୟାପ୍ରଦ ସେଡ୍‌ର ବ୍ୟବସ୍ଥା କରାଯାଇଛି। ସେହିପରି ପୁରୀକୁ ଯାତାୟାତ କରୁଥିବା ଦୈନିକ ବସ୍‌କୁ ଛାଡ଼ିଦେଲେ ଚଳିତ ରଥଯାତ୍ରାରେ ବିଭିନ୍ନ ରୁଟ୍‌ ପାଇଁ ୨୫୦ଟି ସ୍ବତନ୍ତ୍ର ବସ ଚାଲିବ।

ଯାତ୍ରୀ ଭଡ଼ାରେ ଠକେଇ ସହ ଅନ୍ୟାନ୍ୟ ପରିବହନଗତ ସମସ୍ୟା ଉପରେ ନଜର ପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ସ୍କ୍ବାଡ୍‌ ନିୟୋଜିତ ହେବେ। ଡାକବାଜି ଜରିଆରେ ବସ୍‌ ଯା’ଆସ ସମୟ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ଯାତ୍ରୀଙ୍କ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ ଅସ୍ଥାୟୀ ପୁଲିସ ପୋଷ୍ଟ ବି କରାଯାଇଛି ।