ରଥ ନିର୍ମାଣ ପାଇଁ ପୁରୀକୁ ପଠାଗଲା ରଥ କାଠ

ଭୁବନେଶ୍ୱର,୨୧/୧: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ଆଜି ଅପରାହ୍ନରେ ନୟାଗଡ଼ ବନଖଣ୍ଡରୁ ୩ଟି ଟ୍ରକ ଯୋଗେ ମୋଟ ୧୦୪ ଖଣ୍ଡ କାଠ ପଠାଯାଇଛି। ସେଥିରୁ ଅଶନ କାଠ ୩୩ ଓ ଧଉରା କାଠ ୭୧ ଖଣ୍ଡ ସିଧାସଳଖ ପୁରୀକୁ ପଠାଯାଇଛି । ଦଶପଲ୍ଲା ଜଙ୍ଗଲରୁ ଏହି କାଠ ସଂଗ୍ରହ କରାଯାଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ସରସ୍ଵତୀ ପୂଜା ପୂର୍ବରୁ ଶ୍ରୀ ରଥଖଳାରେ ପ୍ରଥମ ପର୍ଯ୍ୟାୟରେ ସେଠାକୁ ଏହି କାଠ ପଠାଯାଇଥିବା ଜଣାପଡିଛି । ସେହିଭଳି ୨୦ଫୁଟ ଲମ୍ବା ଓ ୪ଫୁଟ ଗୋଲାଇଟ ୩ ଖଣ୍ଡ ଅଶନ କାଠ ମଧ୍ଯ ରହିଛି । ଅବଶିଷ୍ଟ କାଠ ନୟାଗଡ଼ ବନଖଣ୍ଡରୁ ଅକ୍ଷିୟତୃତୀୟା ପୂର୍ବରୁ ପୁରୀକୁ ପଠାଯିବ ବୋଲି ସୂଚନା ମିଳିଛି । ଶକ୍ରବାର କାଠ ଟ୍ରକ ୩ଟି ଦଶପଲ୍ଲା ଜଙ୍ଗଲରୁ ବାହାରି ପ୍ରଥମେ ମହାବୀର ପିଠରେ ପୂଜା ଅର୍ଚ୍ଚନା କରାଯାଇ ନୟାଗଡ଼ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଥିଲା । ସେଠାରେ ନୟାଗଡ଼ ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।