ରାଜ୍ୟ କ୍ୟାବିନେଟର ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର,୧୯/୧୦: ରାଜ୍ୟ କ୍ୟାବିନେଟ୍‌ରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୬ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମୁଣ୍ଡାରି ଭାଷାକୁ ସାମିଲ କରିବା ନେଇ ଦାବି ହୋଇଛି। ମନ୍ତ୍ରିମଣ୍ଡଳ ବୈଠକରେ ଅନୁସୂଚିତ ଜାତି, ଜନଜାତି ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ରାଜ୍ୟର ବିଭିନ୍ନ ବ୍ଲକସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ଉନ୍ନତୀକରଣ ଓ ବଲାଙ୍ଗୀର, କୋରାପୁଟ ଜିଲ୍ଲା ଜୟପୁର, ମାଲକାନଗିରି ଜିଲ୍ଲାର ମୋଟୁ ଓ କଟକ ଜିଲ୍ଲା ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି।ଏହାସହ ଇନ୍ଦ୍ରାବତୀ, ବ୍ରାହ୍ମଣୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି।  କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ବିସ୍ଥାପିତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଗୃହ ଯୋଜନା ଆରମ୍ଭ କରିଛନ୍ତି ସରକାର। ଓଡ଼ିଶା ଭୂ-ସଂସ୍କାର ଆଇନ୍‌କୁ ଅନୁମୋଦନ କରିଛନ୍ତି।