ବଜେଟ ଅଧିବେଶନର ଦ୍ୱିତୀୟ ଦିନ, ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ

ଭୁବନେଶ୍ୱର,୬/୦୨: ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହୋଇଯାଇଛି। ଗୃହକାର୍ଯ୍ୟ ଆରମ୍ଭ ସହ ସୁରୁଖୁରରେ ପ୍ରଶ୍ନକାଳ ଚାଲିଛି । ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ବିଧାନସଭାର ଦ୍ୱିତୀୟ ଦିନରେ ଗୃହର ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି । ତେବେ ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି, ସେଠି ୨୦୨୫ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିବ । ମାର୍ଚ୍ଚ ୨୦୨୩ ସୁଦ୍ଧା, ୫୮% ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଦିଆଯାଇଛି । ଯେଉଁଠି ପାଇପ ନାହିଁ କି କାମ ଜାରି ରହିଛି, ସେଠାରେ ଜିଲ୍ଲାପାଳ, ପିଡି ଡିଆରଡିଏ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନୂଆ ଟ୍ୟୁବୱେଲ ଯୋଗାଇବାକୁ ନିର୍ଦେଶ ଦିଆଯାଇଛି । ନୂଆ ଜନଵସତିରେ ଅତିରିକ୍ତ ଟ୍ୟୁବୱେଲ ଲଗାଯିବ । ଯେଉଁଠି ୭୦ ଲୋକଙ୍କ ଜନସଂଖ୍ୟା ଅଛି, ସେଠାରେ ବି ନୂଆ ଟ୍ୟୁବୱେଲ ଲଗାଇବାକୁ ନିର୍ଦେଶ ଦିଆଯାଇଛି ।ଜିଲ୍ଲାପାଳ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ ଟ୍ୟୁବୱେଲ ଲଗାଯିବ। ପାନୀୟ ଜଳ ସମସ୍ୟା ଥିଲେ, ୧୯୧୬ ହେଲ୍ପଲାଇନ ନମ୍ବର ଯୋଗେ ପ୍ରଶାସନକୁ ଜଣାଇବାର ବ୍ୟବସ୍ଥା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।