ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର,୨୧/୨: ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିଧାନସଭାରେ ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଛନ୍ତି। ଗୃହରେ ରାଜ୍ୟପାଳ ଦିବଙ୍ଗତ ନେତାମାନଙ୍କର ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ସୁଚାରୁ ରୂପେ ବିଶ୍ବକପ୍ ହକିର ଆୟୋଜନ କରିଥିବା ନେଇ ବି କହିଛନ୍ତି ରାଜ୍ୟପାଳ। ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା କଥା ବି କହିଛନ୍ତି। ରାଜ୍ୟପାଳ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚିକିତ୍ସା କ୍ଷେତ୍ରରେ ସହାୟକ ହେଉଛି। ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ଅଗ୍ରଗତି ହୋଇଛି। କ୍ୟାନସର ରୋଗୀଙ୍କୁ ମିଳିବ ମାଗଣାରେ ପିଇଟି-ସିଟି ସ୍କାନ ସୁବିଧା। ନୂଆ ଡାକ୍ତର ଓ ପାରାମେଡିକାଲ ପଦବୀ ସୃଷ୍ଟି କରାଯିବ।ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳତା ବି ବଖାଣିଛନ୍ତି। ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ, ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି। ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତରେ ଓଡ଼ିଶା ଆଗୁଆ । ୫ଟି ଓ ମୋ ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ସେ କହିଛନ୍ତି।