କୋଭିଡ କଟକଣା ଭିତରେ ବଜେଟ ଅଧିବେଶନ

ଭୁବନେଶ୍ୱର, ୧୫/୩: ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି। ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ କୋଭିଡ କଟକଣା ଭିତରେ ଏଥର ବିଧାନସଭା ବଜେଟ ଅଧିବେଶନ ବସିବ। ଆସନ୍ତା ୨୫ ତାରିଖ ଦିନ ଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ଗୃହ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟା ଚାଲିବ। ଦିନ ସାଢେ ୧୦ ଟାରୁ ସାଢ଼େ ୧ ଟା ଏବଂ ପରବର୍ତ୍ତୀ ପର୍ଯ୍ୟାୟ ୪ ଟା ରୁ ୬ ଟା ଯାଏ ଚାଲିବ। କେବଳ ରବିବାରକୁ ଛାଡ଼ି ସବୁଦିନେ ଗୃହ କାର୍ଯ୍ୟ ଚାଲିବ। କୋଭିଡ ନିୟମ ଅନୁସରଣ କରାଯିବ। ପୂର୍ବ ଅଧିବେଶନ ପରି କଟକଣା ରହିବ। ୨୩ ଓ ୨୪ ତାରିଖ ବିଧାୟକ ସଦସ୍ୟଙ୍କ ଆରଟିପିସିଆର ଟେଷ୍ଟ ଓ ଆଣ୍ଟିଜେନ ଟେଷ୍ଟ ହେବ। କିନ୍ତୁ ପୌର ନିର୍ବାଚନ ପାଇଁ ସଦସ୍ୟମାନେ ବ୍ୟସ୍ତ ଥିବାରୁ ଜିଲ୍ଲାସ୍ତରରେ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯିବ। ଅନ୍ୟପଟେ କଂଗ୍ରେସ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଦେବ ଓ ବିଜେପି ୩ ଦିନ ମୁଲତବୀ ପ୍ରସ୍ତାବ ଦେବା ନେଇ ସୂଚନା ରହିଛି । ସୂଚନାଯୋଗ୍ୟ ଯେ ତେବେ ଏହି ସର୍ଵଦଳୀୟ ବୈଠକରେ ବିଜେପି ତିନୋଟି ପ୍ରସ୍ତାଵ ରଖିଥିବା ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସେ କହିଛନ୍ତି, କୋଭିଡ ସ୍ଥିତି ସୁଧୁରିଥିବାରୁ ବିଧାନସଭାର ଦୈନିକ ସମୟ ଅବଧି ବୃଦ୍ଧି କରିବା ସହ ପ୍ରଶ୍ନକାଳ ଏକ ଘଣ୍ଟା ବଦଳରେ ଦେଢ଼ ଘଣ୍ଟା କରଯାଉ। ବିଧାନସଭାର ସମସ୍ତ କାର୍ଯ୍ୟକ୍ରମକୁ ଲାଇଭ ଟେଲିକାଷ୍ଟ କରଯାଉ। ମୁଲତବୀ ପ୍ରସ୍ତାଵ ମୁଖ୍ୟ ବିରୋଧୀ ଦଳକୁ ଅଧିକ ଦିଆଯାଉ ବୋଲି ସେ କହିଛନ୍ତି।