ନୂଆଦିଲ୍ଲୀ,୧/୦୨: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ବିହାର ପାଇଁ ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟରେ, ବିହାର ରାଜ୍ୟ ପାଇଁ କିଛି ବଡ଼ ଘୋଷଣା କରିଛନ୍ତି । ବିହାରରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ସୁବିଧା ପ୍ରଦାନ କରାଯିବ । ଏହାସହ ପାଟନା ବିମାନ ବନ୍ଦରର ମଧ୍ୟ କ୍ଷମତାକୁ ବଢାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାଟନା ଆଇଆଇଟିର ସିଟ୍ ସଂଖ୍ୟାରେ ବୃଦ୍ଧି କରାଯିବ । ଆଉ ସେଠାରେ ଥିବା ହଷ୍ଟେଲ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ, ପାଟନା ଆଇଆଇଟିରେ ଏବଂ ସଂରଚନାକୁ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।ଏହା ପୂର୍ବରୁ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ବଜେଟରେ ମୋଦୀ ସରକାର ବିହାର ଆଉ ଆନ୍ଧ୍ରପ୍ରଦେଶକୁ ବେଶୀ ଫୋକସ୍ କରିଥିଲେ । ଖାସ୍ କରି ନୀତିଶ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାର ଏପରି କରୁଥିବା ବିରୋଧୀ ଅଭିଯୋଗ କରିଥିଲେ । ଆଉ ଏବେ ପୂର୍ଣ୍ଣ ବଜେଟରେ ମଧ୍ୟ ବିହାର ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।