ବଜେଟ୍ ୨୦୨୪-୨୦୨୫: ପିଏମ ମୁଦ୍ରା ଲୋନ ହେଲା ଦୁଇଗୁଣା, ୫୦୦ ଶୀର୍ଷ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ମିଳିବ ଇଣ୍ଟନସିପ୍ ସୁବିଧା

ନୂଆଦିଲ୍ଲୀ,୨୩/୦୭: ଚଳିତ ବଜେଟ ଭାଷଣରେ ମୁଦ୍ରା ଲୋନକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ମଳା ସିତାରମଣ କହିଛନ୍ତି । ନିର୍ମଳା ତାଙ୍କ ଭାଷଣରେ କହିଛନ୍ତି, ଯେଉଁମାନେ ପୂର୍ବରୁ ମୁଦ୍ରା ଲୋନ ନେଇ ତାକୁ ପରିଶୋଧ କରିଛନ୍ତି ସେମାନଙ୍କ ପାଇଁ ମୁଦ୍ରା ଲୋନ ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରାଯାଇଛି । ମୁଦ୍ରା ଲୋନ ଏକ ସରକାରୀ ଯୋଜନା । ଯେଉଁ ମାଧ୍ୟମରେ ଉଦ୍ଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏହା ଅଧୀନରେ ୩ଟି ଶ୍ରେଣୀ ରହିଛି । ଶିଶୁ( ୫୦ ହଜାର ଟଙ୍କା), କିଶୋର(୫୦ ହଜାରରୁ ୫ ଲକ୍ଷ ଟଙ୍କା), ତରୁଣ(୫ରୁ ୧୦ ଲକ୍ଷ ଟଙ୍କା) । ଦେଶର ଯୁବକମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଥିଲେ । ଛୋଟ ଉଦ୍ୟୋଗ ଚଲାଇବା ପାଇଁ ଓ ଏହାର ବିସ୍ତାର କରିବା ପାଇଁ ଏହି ଯୋଜନା ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଦିଆଯାଉଥିଲା, ଯାହା ଏବେ ୨୦ ଲକ୍ଷରେ ପହଞ୍ଚିଛି । ଏହି ଲୋନ ଶସ୍ତା ଋଣରେ ମିଳିଥାଏ । ଯଦି ଆପଣ ସମୟରେ ଋଣ ପରିଶୋଧ କରିଥାନ୍ତି ଦେବେ ଆପଣଙ୍କୁ ଇନଣ୍ଟରେଷ୍ଟ ଛାଡ କରିଦିଆଯିବ ।

ଅନ୍ୟପଟେ କେନ୍ଦ୍ରୀୟ ବଜେଟରେ ଯୁବବର୍ଗଙ୍କ ପାଇଁ ବଡ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୫୦୦ ଶୀର୍ଷ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ଇଣ୍ଟନସିପର ଅବସର ପ୍ରଦାନ କରିବାକୁ ସରକାର ଯୋଜନା ଆରମ୍ଭ କରିବେ । ଯେଉଁଥିରେ ୫ ହଜାର ଟଙ୍କାର ମାସିକ ଇଣ୍ଟନସିପ୍ ଭତ୍ତା ପ୍ରଦାନ କରାଯିବ । ଏଥିସହ ୬ ହଜାର ଟଙ୍କାର ସହାୟତା ସରକାର ପ୍ରଦାନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ କହିଛନ୍ତି । ଅନ୍ୟପଟେ ମହିଳା ଏବଂ ଯୁବତୀମାନେ ଉପକୃତ ହେଉଥିବା ଯୋଜନାଗୁଡିକ ପାଇଁ ୩ ଲକ୍ଷ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ତା ସହିତ ପୂର୍ବୋତ୍ତର କ୍ଷେତ୍ରରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ୧୦୦ରୁ ଅଧିକ ଶାଖା ପ୍ରତିଷ୍ଠା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ବକ୍ସରରେ ଗଙ୍ଗା ନଦୀ ଉପରେ ନିର୍ମାଣ ହେବ ଦୁଇ ଲେନ୍ ବିଶିଷ୍ଟ ପୋଲ । ଏଥିପାଇଁ ମୋଟ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।