ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ, ୧/୨:ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଖୁବଶୀଘ୍ର ଏଲଆଇସିର ଆଇପିଓ ଆସିବ । ଆଗାମୀ ୨୫ ବର୍ଷ ପାଇଁ ବଜେଟରେ ରହିଛି ବ୍ଲୁ-ପ୍ରିଣ୍ଟ । ରସାୟନ ମୁକ୍ତ ଚାଷକୁ ପୋତ୍ସାହନ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଏମଏସପି ଦରରେ ଚାଷୀଙ୍କ ଠାରୁ ରେକର୍ଡ ସଂଖ୍ୟକ ଫସଲ କିଣାଯିବା ସହ ଚାଷୀଙ୍କୁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ ।

ଅନ୍ୟପଟ ଶିକ୍ଷା ବ୍ୟବସ୍ଥା ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ୟୁନିଭର୍ସିଟି । ୨୦୦ ଚ୍ୟାନେଲରେ ‘ପିଏମ୍ ଇ-ବିଦ୍ୟା’ କାର୍ଯ୍ୟକ୍ରମ କରାଯିବ । ସକ୍ଷମ ୨ ଲକ୍ଷ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ ହେବ । ୨ ଲକ୍ଷ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ର ତିଆରି ହେବ । ଏହାସହ ସ୍କୁଲର ସବୁ ଶ୍ରେଣୀଗୃହରେନ ଟିଭି ଲାଗିବ । ପିଏମ ଇ-ବିଦ୍ୟା ପାଇଁ ୨୦୦ ନୂଆ ଚ୍ୟାନେଲ ହେବ । ଆଇଟିଆଇ ପିଲାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ। ବ୍ୟବସାୟ ଓ ରୋଜଗାର ପାଇଁ ଡିଜିଟାଲ ସ୍କିଲକୁ ବଢାଯିବା ସହ ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।ଏହାଛଡା ଅତିରିକ୍ତ ୩୦ ଲକ୍ଷ ନିଯୁକ୍ତି କ୍ଷମତା ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି।

ପିଏମ୍ ଗତି ଶକ୍ତି ମାଷ୍ଟର୍ ପ୍ଲାନରେ ୨୦ ହଜାର କୋଟି ବ୍ୟୟରେ ଗୋଟିଏ ବର୍ଷରେ ୨୫ ହଜାର କି.ମି. ହାଇୱେ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଗାମୀ ୩ ବର୍ଷ ମଧ୍ୟରେ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଶହେଟି ପିଏମ୍ ଗତିଶକ୍ତି କାର୍ଗୋ ଟର୍ମିନାଲ ଚାଲିବ । ପାହାଡ଼ିଆ ଅଞ୍ଚଳରେ ଚାଲିବ ପର୍ବତମାଳା ରୋପ୍ ୱେ । ୨୦୨୨-୨୩ରେ ୮ଟି ନୂଆ ରୋପ୍ ୱେ ପାଇଁ ଅର୍ଡର ଦିଆଯିବ। ଏକ୍ସପ୍ରେସ ହାଇୱେ ବିସ୍ତାର ପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ । ୨୫ ହଜାର କିଲୋମିଟର ପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ।

ମହିଳା ଶକ୍ତି ପାଇଁ ୩ ନୂଆ ଯୋଜନା ପ୍ରସ୍ତୁତ ହୋଇଛି । ପିଏମ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ ହେବ। ଏଥିପାଇଁ ୪୮ ହଜାର କୋଟି ଦିଆଯିବ। ସେହିପରି ହର ଘର ନଳ ଯୋଜନାର ବିସ୍ତାର ହେବ। ୬୦ ହଜାର କୋଟି ଟଙ୍କା ବ୍ୟୟରେ ୩.୮ କୋଟି ପରିବାର ପାଖରେ ଏହି ସୁବିଧା ପହଞ୍ଚିବ ।

କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ । ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା । NPS ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ ୧୪% କଟିବ । ଆଗରୁ ରାଜ୍ୟ କର୍ମଚାରୀଙ୍କ ୧୦% କଟୁଥିଲା । କୋ-ଅପରେଟିଭ ସୋସାଇଟି ଟ୍ୟାକ୍ସ ୧୮%ରୁ କମି ୧୫% କରାଯାଇଛି ।

୨୦୨୨-୨୩ରେ ଡିଜିଟାଲ କରେନ୍ସି ଆରମ୍ଭ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ କରେନ୍ସି ଆରମ୍ଭ ହେବ । ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ । ୨୦୨୨-୨୩ରେ ମୋଟ ୩୯.୪୫ ଲକ୍ଷ କୋଟି ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି ।