ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୪/୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ୧୧ ମେ’ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହୋଇପାରିବ । ୧୨ ମେ’ରେ ପ୍ରାର୍ଥୀପତ୍ର ଯାଂଚ ହେବାକୁ ଥିବା ବେଳେ ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମେ ୩୧ରେ ଭୋଟ ଗ୍ରହଣ କରାଯିବ । ଜୁନ ୩ରେ ଫଳ ପ୍ରକାଶ ପାଇବ। ନିର୍ବାଚନ ନେଇ ତିନି ପ୍ରମୁଖ ଦଳର କସରତ ଆରମ୍ଭ ହୋଇ ସାରିଛି । ବିଜେଡିର କିଏ ହେବ ପ୍ରାର୍ଥୀ ୨ଟି ନାଁକୁ ନେଇ ଚର୍ଚ୍ଚା ଯୋର ଧରିଛି । କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କଂଗ୍ରେସ ଓ ବିଜେପି ମଧ୍ୟ କସରତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ ଦୀର୍ଘ ୨୪ ବର୍ଷ ପରେ ବ୍ରଜରାଜନଗରରେ ପୁଣି ଥରେ ଉପ ନିର୍ବାଚନ ହେବାକୁ ଯାଉଛି। ତତ୍‌କାଳୀନ ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ବିୟୋଗ ପରେ ୧୯୯୮ ମସିହାରେ ଏଠାରେ ପ୍ରଥମ କରି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଂପ୍ରତି ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ମେ ୩୧ ତାରିଖ ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ହେବାକୁ ଯାଉଛି।